ଦାର୍ଜିଲିଂ ପଶ୍ଚିମ ବଙ୍ଗର ଏକ ହିଲ୍ ଷ୍ଟେସନ ଅଟେ ଯାହା ପୂର୍ବ ହିମାଳୟର ଏକ ଅଂଶ ଅଟେ । ଏହା ପ୍ରକୃତିର ସୌନ୍ଦର୍ଯ୍ୟ, ଚାହା ବଗିଚା ଏବଂ ଶୀତଳ ଅଞ୍ଚଳ ପାଇଁ ପ୍ରସିଦ୍ଧ ଅଟେ । ଏଠାରେ ଅନେକ ହିନ୍ଦୀ ଫିଲ୍ମ ସୁଟିଂ ହୋଇଛି। ମାତ୍ର ଓଡ଼ିଆ ଫିଲ୍ମ "ସାଥିରେ" ର ଦୁଇଟି ଗୀତ ' ଝିଅ ନୁହେଁ ତୁ ଅପସରୀ ' ଏବଂ 'ଦେଖିନି ତୋ' ପରି ମୁଁ ଝିଅ ' ଏହିଠାରେ ସୁଟିଂ ହୋଇଛି ।
୧. ମଲ ରୋଡ
ଦାର୍ଜିଲିଂ ର ମଲ ରୋଡ କିମ୍ବା ଚୌରାସ୍ତା ଏହାର ମୁଖ୍ୟ ସହର ଅଟେ । ଏଠାରେ ମୁଖ୍ୟତଃ ବୌଦ୍ଧ ସାମଗ୍ରୀ, ଶୀତ ବସ୍ତ୍ର ଆଦି ବିଭିନ୍ନ ଜିନିଷର କିଣାବିକା ହୁଏ । ସଂଧ୍ୟାରେ ଏହାର ଦୃଶ୍ୟ ଅତି ମନୋରମ । ଏହିଠାରେ ଅଛି ଦାର୍ଜିଲିଂ କ୍ଲକ୍ ଟାୱାର । ଏହାର ଚତୁଃପାର୍ଶ୍ଵରେ ପାଇନ୍ ବୃକ୍ଷ ପରିବେଷ୍ଟିତ ।
୨.ବାତାସିଆ ଲୁପ୍
ଏହା ଦାର୍ଜିଲିଂ ଠାରୁ 5 କି.ମି. ଦୂରରେ ଅବସ୍ଥିତ । ଏଥିରେ ଦେଖାଯାଉଥିବା ଖମ୍ବ ଏକ ସ୍ମୃତି ଅଟେ । ଗୁର୍ଖା ବାହିନୀଙ୍କ ଭାରତୀୟ ସେନାର ଅବଦାନ ପାଇଁ ଏବଂ ସେମାନଙ୍କ ସ୍ମୃତିରେ ଏହା ତିଆରି ହୋଇଛି । ତାହା ସହିତ ଏହାର ଚତୁଃପାର୍ଶ୍ଵରେ ରଙ୍ଗ ବେରଙ୍ଗର ଫୁଲ ବଗିଚା । ବଗିଚାର ଚାରି ପାଖରେ ଗୋଲାକାର ହୋଇ ରେଳ ଲାଇନ୍ ଅଛି ଯେଉଁଥିରେ ଦାର୍ଜିଲିଂର ଟୟ ଟ୍ରେନ୍ ଯାତାୟତ କରେ । ଏଠାରେ ଓଡ଼ିଆ ଫିଲ୍ମ ' ସାଥିରେ ' ର ଗୀତ ସୁଟିଂ ହୋଇଥିଲା ।
୩. ଚାହା ବଗିଚା
ଏହାର ପ୍ରବେଶ ଶୁଳ୍କ ୧୦୦ ଟଙ୍କା ଜଣ ପିଛା ଅଟେ । ସୋପାନ ପ୍ରଣାଳୀରେ ହିମାଳୟ ପର୍ବତର ବକ୍ଷରେ ସବୁଜ ଚାହା ଗଛ ଗୁଡ଼ିକ ଧାଡ଼ି ଧାଡ଼ି ହୋଇ ଲଗାଯାଇଛି ।
୪. ମହାକାଳ ମନ୍ଦିର
ଏହା ଏକ ହିନ୍ଦୁ ମନ୍ଦିର ଅଟେ । ଏଠାରେ ଭଗବାନ ଶିବଙ୍କୁ ଉପାସନା କରାଯାଏ । ଏଥିରେ ଉଭୟ ହିନ୍ଦୁ ଓ ବୌଦ୍ଧ ସଂସ୍କୃତିର ମିଶ୍ରଣ ଦେଖିବାକୁ ମିଳେ । ମନ୍ଦିର ପଛ ପଟେ ଅଛି ଓବଜର୍ଭେଟରୀ ହିଲ୍ ଭ୍ୟୁ ପଏଣ୍ଟ। ଏଠାରେ ସୂର୍ଯ୍ୟଦୋୟ ଏବଂ କାଞ୍ଚନଜଙ୍ଘା ପର୍ବତମାଳା ଦୃଷ୍ଟିଗୋଚର ହୁଏ ।
୫. ଘୁମ୍ ମୋନାଷ୍ଟ୍ରି
ମନକୁ ଶାନ୍ତ ରଖିବାକୁ ହେଲେ ବୌଦ୍ଧମାନେ କି ଉପାୟ ଅବଲମ୍ବନ କରନ୍ତି ତାହା ଜାଣିବାକୁ ହେଲେ ଏହା ଏକ ଉତ୍ତମ ସ୍ଥାନ ଅଟେ । ଏଠାରେ ବୌଦ୍ଧ ଭିକ୍ଷୁମାନେ ନୀରବ ପ୍ରାର୍ଥନା କରିବା ସହିତ ଉତ୍ତମ ଶରୀର ପାଇଁ ଶାରୀରିକ ବ୍ୟାୟାମ କିପରି କରନ୍ତି ଏବଂ ଭଗବାନ ବୁଦ୍ଧଙ୍କୁ କିପରି ପୂଜା କରନ୍ତି ତାହା ଏଠାରେ ଦେଖିବାକୁ ମିଳେ । ଏଠାରେ ପନ୍ଦର ଫୁଟ୍ ଲମ୍ବର ଭଗବାନ ବୁଦ୍ଧଙ୍କ ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳେ ।
୬. ପିସ୍ ପାଗୋଡ଼ା
ଜାପାନୀ ପିସ୍ ପାଗୋଡ଼ା ଏକ ବୌଦ୍ଧ ସ୍ତୁପ ଅଟେ । ଏହି ସ୍ତୁପର ରଙ୍ଗ ଧଳା । ଏହା ମଧ୍ୟ ଶାନ୍ତି ପାଇଁ ଉଦ୍ଦିଷ୍ଟ । ଏହାର ପରିବେଶ ଅତ୍ୟନ୍ତ ସୁଖକର ।
୭. ରକ୍ ଗାର୍ଡେନ
ଏହା ମଧ୍ୟ ସୁନ୍ଦର ସ୍ଥାନ ଅଟେ । ଏହାର ମୁଖ୍ୟ ଆକର୍ଷଣ ହେଉଛି ଝରଣା । ଏହାର ପରିବେଶ ମନ ମୁଗ୍ଧକର । ଫୋଟୋଗ୍ରାଫି ପାଇଁ ଏହା ଏକ ସୁନ୍ଦର ସ୍ଥାନ ଅଟେ ।
୮. ରଙ୍ଗୀତ୍ ଭେଲି ପାସେଞ୍ଜର ରପ୍ ୱେ
ଯଦି କେହି ଦାର୍ଜିଲିଂ କୁ ଆକାଶ ମାର୍ଗରୁ ଉପଭୋଗ କରିବାକୁ ଇଚ୍ଛୁକ ତେବେ ଏହା ସେମାନଙ୍କ ପାଇଁ ଏକ ଭଲ ସ୍ଥାନ । ଏହା ପ୍ରତି ମାସ ୧୯ ତାରିଖରେ ବନ୍ଦ ରହେ । ବୟସ୍କ ମାନଙ୍କ ପାଇଁ ଜଣ ପିଛା ୨୦୦ ଟଙ୍କା ତିନିରୁ ଆଠ ବର୍ଷର ପିଲା ପାଇଁ ୧୦୦ ଟଙ୍କା ଅଟେ । ସଂପୂର୍ଣ୍ଣ କ୍ୟାବୁଲ୍ ରିଜର୍ଭ କଲେ ୧୨୦୦ ଟଙ୍କା ଦେବାକୁ ପଡ଼େ ।
୯. ଟୟ ଟ୍ରେନ୍
ଦାର୍ଜିଲିଂ ଟୟ ଟ୍ରେନରେ ବସି ଦାର୍ଜିଲିଂ ବୁଲିବାର ସ୍ମୃତି ନିଆରା । ଏହା ନିଉ ଜଳପାଇଗୁଡ଼ି ଠାରୁ ଦାର୍ଜିଲିଂ ପର୍ଯ୍ୟନ୍ତ ଯାଇଥାଏ । ଏହାର ଟିକେଟ ଦାମ୍ ୧୦୦୦ ରୁ ୧୫୦୦ ଟଙ୍କା ଅଟେ । ଦାର୍ଜିଲିଂ ରୁ ଘୁମ ପର୍ଯନ୍ତ୍ ଯାଉଥିବା ଟୟ ଟ୍ରେନର ଦାମ୍ ୧୦୦୦ ଟଙ୍କା ।
୧୦. ଟାଇଗର ହିଲ୍
ଏହା ଏକ ସୁନ୍ଦର ସ୍ଥାନ ଅଟେ । ଏହିଠାରୁ କାଞ୍ଚନ ଜଂଘା ପର୍ବତମାଳା ଏବଂ ଏଭରେଷ୍ଟ ଶୃଙ୍ଗ ଦୃଷ୍ଟି ଗୋଚର ହୁଏ । ଏହା ଭାରତର ସର୍ବୋଚ୍ଚ ରେଳ ଷ୍ଟେସନ ଘୂମ୍ ପାଖରେ ଅବସ୍ଥିତ ।
୧୧. ଦାର୍ଜିଲିଂ ଚିଡ଼ିଆଖାନା
ଏହାର ଅନ୍ୟ ନାମ ପଦ୍ମଜା ନାଇଡ଼ୁ ଚିଡ଼ିଆଖାନା ଅଟେ । ଏହା ଭାରତର ସର୍ବୋଚ୍ଚ ଚିଡ଼ିଆଖାନା ଅଟେ । ଏହାର ବିଶେଷତ୍ଵ ହେଉଛି ଏଠାରେ ଲାଲ୍ ପାଣ୍ଡା ଏବଂ ନୀଳ ମେଣ୍ଢା ଦେଖିବାକୁ ମିଳେ ।
***************
0 Comments