ସୌନ୍ଦର୍ଯ୍ୟମୟ ପୃଥିବୀରେ ପ୍ରତି ପାଦରେ ସୁନ୍ଦରତମ ଦୃଶ୍ୟ ଦୃଶ୍ୟମାନ ହୁଏ । ଏମାନଙ୍କ ମଧ୍ୟରୁ ମୟୂର ଅନ୍ୟତମ । ସୁନ୍ଦର ପର ଦ୍ୱାରା ଆବୃତ ମୟୂର ସତରେ ବଡ଼ ଆକର୍ଷଣୀୟ ପକ୍ଷୀ ଅଟେ । ପୁଣି ମୟୂରର ଜନ୍ମସ୍ଥାନ ହେଉଛି ଭାରତ । ଅର୍ଥାତ୍ ମୟୂରର ସୃଷ୍ଟି ଭାରତରୁ ହିଁ ହୋଇଥିଲା । ତେଣୁ ଏହା ଭାରତର ଜାତୀୟ ପକ୍ଷୀ ଅଟେ । ବ୍ରିଟିଶ୍ ଶାସକମାନେ ଭାରତରେ ଶାସନ କରୁଥିବା ବେଳେ ପ୍ରଚୁର ପରିମାଣରେ ମୟୂରର ଅଣ୍ଡା ଇଉରୋପ ଓ ଆମେରିକକୁ ନେଇ ଯାଇଥିଲେ ।
ମୟୂରର ପ୍ରକାରଭେଦ
୧- ଭାରତୀୟ ନୀଳ ମୟୂର
୨- ଧଳା ମୟୂର
୩- ସବୁଜ ମୟୂର
୪- କଙ୍ଗୋ ମୟୂର
ଭାରତୀୟ ମୟୂର
ସବୁଠୁ ମୁଖ୍ୟ ପ୍ରଜାତି ହେଉଛି ଭାରତୀୟ ନୀଳ ମୟୁର। ଯେତେବେଳେ ପୁଚ୍ଛ ମେଲାଇ ଏହା ନାଚେ ଅତୀବ ସୁନ୍ଦର ଦିଶେ । ଏହାହିଁ ଭାରତର ଜାତୀୟ ପକ୍ଷୀ । ପୁରାଣ ଯୁଗରୁ ଏହାର ମହତ୍ତ୍ୱ ଅଛି । ଶ୍ରୀକୃଷ୍ଣଙ୍କ ମୁକୁଟରେ ମୟୂରର ପୁଚ୍ଛ ଶୋଭା ପାଉଥିଲା । ଏହା ଛଡ଼ା ଭଗବାନ କାର୍ତ୍ତିକେୟଙ୍କ ବାହନ ମଧ୍ୟ ମୟୂର ଥିଲା ।
ମୌର୍ଯ୍ୟ ସାମ୍ରାଜ୍ୟର ମୁଖ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜଣେ ଅନାଥ ପିଲା ଥିଲେ । ସେ ନିଜର ନାମରେ ମୟୂର(ମୌର୍ଯ୍ୟ) ଶବ୍ଦ ଯୋଡ଼ି ନିଜକୁ ମୟୂର ବଂଶୀ ବୋଲି କହିଥିଲେ ଓ ମୟୂରକୁ ସମ୍ମାନ ଦେଇଥିଲେ । ମୌର୍ଯ୍ୟ ଶବ୍ଦର ଅର୍ଥ ମୟୂରର ବେକ । ମୋଗଲ୍ ଶାସକଙ୍କ ସିଂହାସନକୁ ମୟୂର ସିଂହାସନ କୁହାଯାଉଥିଲା ।
ଧଳା ମୟୂର
ଧଳା ମୟୂର ମଧ୍ୟ ଦେଖିବାକୁ ସୁନ୍ଦର । ମାତ୍ର ଏହା ଏକ ପ୍ରଜାତି ନୁହେଁ । କିଛି ଗୁଣସୂତ୍ର ଜନିତ ସମସ୍ୟା ଯୋଗୁଁ ଏହାର ସମ୍ପୂର୍ଣ୍ଣ ଶରୀର ଓ ପୁଚ୍ଛ ଧଳା ହୋଇଥାଏ । ଦେଖିବା ପାଇଁ ବହୁତ ଆକର୍ଷଣୀୟ । ଏହା ଓଡ଼ିଶାର ନନ୍ଦନକାନନରେ ମଧ୍ୟ ଦେଖିବାକୁ ମିଳିବ ।
ସବୁଜ ମୟୂର
ଏହାକୁ ଇଣ୍ଡୋନେସିଓ ମୟୂର କୁହାଯାଏ । ଏହି ପକ୍ଷୀ ଇଣ୍ଡୋନେସିଆ ରେ ସର୍ବାଧିକ ବସବାସ କରନ୍ତି । ଏମାନେ ମୁଖ୍ୟତଃ ଜଙ୍ଗଲରେ, ଜଳାଶୟ ନିକଟରେ ଦେଖାଯାଆନ୍ତି । ଏମାନେ ଭାରତୀୟ ନୀଳ ମୟୂର ଭଳି ଦେଖିବାକୁ । ମାତ୍ର ଭାରତୀୟ ମୟୂରର ଶରୀର ନୀଳ, ଏହାର ଶରୀର ସବୁଜ ଅଟେ ।
କଙ୍ଗୋ ମୟୂର
ଏବେ ଆଫ୍ରିକା ମହାଦେଶର କଙ୍ଗୋ ଜଙ୍ଗଲରେ ଏକପ୍ରକାର ମୟୂର ଦେଖିବାକୁ ମିଳୁଛି । ମାତ୍ର ଭାରତୀୟ କିମ୍ବା ଇଣ୍ଡୋନେସିଓ ମୟୂର ଭଳି ଏହା ଏତେ ଆକର୍ଷଣୀୟ ନୁହେଁ । କାରଣ ଏହାର ପଛରେ ପୁଚ୍ଛ ବହୁତ ଛୋଟ । ଏହାର ଶରୀର ନୀଳ ଓ କଳା ଏବଂ ପୁଚ୍ଛ ସବୁଜ ରଙ୍ଗ ଅଟେ ।
0 Comments