ଦୁନିଆର ଅନେକ ରହସ୍ୟମୟ ଚିତ୍ର ଅଛି ସେମାନଙ୍କ ମଧ୍ୟରୁ ମୋନା ଲିସାର ଛବି ଅତ୍ୟନ୍ତ ରହସ୍ୟମୟ । ଏହି ସୁନ୍ଦର ଆଉ ରହସ୍ୟମୟ ଛବିକୁ ଇଟାଲୀ ଦେଶର ପ୍ରସିଦ୍ଧ ଲେଖକ ଓ ଚିତ୍ରକର ଲିଓନାର୍ଡୋ ଡ଼ା ଭିଞ୍ଚି ୧୫୦୩ରେ ଅଙ୍କନ କରିବା ଆରମ୍ଭ କରିଥିଲେ ଆଉ ୧୫୧୯ରେ ଏହାର ସମାପ୍ତ କରିଥିଲେ । ଗବେଷକଙ୍କ ମତ ଅନୁଯାୟୀ ଏହି ଚିତ୍ରର ସବୁଠୁ ଅଧିକ ରହସ୍ୟମୟ ସ୍ଥାନ ହେଉଛି ଏହି ଛବିରେ ଥିବା ମହିଳାର ରହସ୍ୟମୟ ସ୍ମିତ ହସ । ଏହି ଓଠକୁ ଆଙ୍କିବା ପାଇଁ ଚିତ୍ରକର ଲିଓନାର୍ଡୋ ୧୨ବର୍ଷ ସମୟ ନେଇଥିଲେ । କିଛି ଲୋକଙ୍କୁ ଏହି ସ୍ମିତ ହସ ଏକ ସୁନ୍ଦର ହସ ଲାଗିଲା ତ କିଛି ଲୋକଙ୍କୁ ତାହା ଏକ ସୈତାନ ହସ ଲାଗିଲା । ଆଉ କିଛି ଲୋକଙ୍କୁ ସେହି ହସ କେବଳ ସେ ମହିଳାର ଦୁଃଖ କିମ୍ବା ବିଷାଦ ପ୍ରତ୍ୟେୟ ହେଲା ।
ଜଣେ ଗବେଷକ କିଛି ବର୍ଷ ପୂର୍ବରୁ କହିଲେ ଯେ ମୋନାଲିସାର ହସ ଏମିତି ଦିଶିବାର କାରଣ ତା'ର ଉପର ଦାନ୍ତ ମଧ୍ୟରୁ ଦୁଇଟି ଦାନ୍ତ ଖସି ଯାଇଛି । ତେଣୁ ତାଙ୍କ ହସ ଏପରି ଦିଶୁଛି । ମାତ୍ର ୨୦୦୦ ମସିହାରେ ହାରବଡ଼ ବିଶ୍ବବିଦ୍ୟାଳୟ ର ଜଣେ ଗବେଷକ ପ୍ରମାଣ କଲେ ଯେ ମୋନାଲିସାର ହସ ବଦଳିବାର ରହସ୍ୟ ଆମ ମନ ବଦଳିବା ଯୋଗୁଁ ହୋଇଥାଏ । ଅର୍ଥାତ ସେ ଫୋଟୋକୁ ଯିଏ ଯେମିତି ଚାହେଁ ସେମିତି ଦୃଶ୍ୟ ହୁଏ ।
୨୧ ଅଗଷ୍ଟ ୧୯୧୧ ତାରିଖ ଦିନ ଏହି ଛବିକୁ ପ୍ୟାରିସର ଲୁଭର ମ୍ୟୁଜିଅମ ରୁ ଜଣେ କର୍ମଚାରୀ ଚୋରି କରିନେଇଥିଲେ । ଏହି ଫୋଟୋରେ ଥିବା ମହିଳା ଜଣକ ଇଟାଲୀର ଜଣେ ସାଧାରଣ ମହିଳା ଲିସା ଘେରାର୍ଦ୍ଦିନୀଙ୍କ ଚିତ୍ର ଅଟେ ବୋଲି କିଛି ଗବେଷକ ମତ ଦିଅନ୍ତି । ମାତ୍ର ଆଉ କିଛି ଗବେଷକ କୁହନ୍ତି ଯେ ଲିଓନାର୍ଡୋ ନିଜ ମନରୁ ଏହି ଛବିଟିକୁ ଆଙ୍କିଛନ୍ତି ।
ଏହି ଫୋଟୋ ଏବେ ଫ୍ରାନ୍ସର ଲୁଭର ମ୍ୟୁଜିଅମରେ ବୁଲେଟ ପୃଫ ଗ୍ଲାସ ଭିତରେ ସାଇତି ରଖାଯାଇଛି । କାରଣ ବାରମ୍ବାର ଏହି ଚିତ୍ରକୁ ନଷ୍ଟ କରିବା ପାଇଁ କିଛି ଲୋକ ବିଭିନ୍ନ ପ୍ରକାର ଚେଷ୍ଟା କରିଛନ୍ତି । ପୁଣି ଏହି ଫୋଟୋର ଦାମ ପାଖାପାଖି ୫୭୬୦ ହଜାର କୋଟି ଟଙ୍କା । ତେଣୁ ଏହା ଦୁନିଆର ସବୁଠୁ ଦାମୀ ପେଣ୍ଟିଙ୍ଗ ବୋଲି ଗିନିସ ବୁକ ଅଫ ୱାର୍ଲଡ଼ ରେକର୍ଡ଼ରେ ଲିପିବଦ୍ଧ ଅଛି ।
ପ୍ରସିଦ୍ଧ ଓଡ଼ିଆ ଲେଖକ ଡ଼ ପ୍ରତିଭା ରାୟ ମୋନାଲିସା ବିଷୟରେ ତାଙ୍କ 'ଲଣ୍ଡନରୁ ପ୍ୟାରିସ ' ପୁସ୍ତକରେ ବର୍ଣ୍ଣନା କରିଛନ୍ତି:-
ମୋନାଲିସା କୁ ଚାହିଁଲି। ତାଙ୍କ ଆଖିରେ ଢଳ ଢଳ ଗୋପନ ଅଶ୍ରୁ । ସେ କହୁଥିଲା- ମୁଁ ସାଧାରଣ ଗୃହ ବଧୂଟିଏ । ମୋତେ ନେଇ ଏତେ ଗୁଜବ, ନିଲାମ, ଦର କଷା କଷି ଏବଂ ଚୋରି କାହିଁକି? ସୌନ୍ଦର୍ଯ୍ୟ କାହାରି ଦାସ ନୁହେଁ ବରଂ ସମସ୍ତେ ସୌନ୍ଦର୍ଯ୍ୟର ଦାସ ।
0 Comments