Search This Blog

କାଳ ବୈଶାଖୀ

ଗ୍ରୀଷ୍ମ ଦାଉରୁ ରକ୍ଷା କରିବାକୁ, 
 ଓହ୍ଲାଇ ଆସୁ ତୁ ଧରା ପୃଷ୍ଠକୁ ।। 
ତୋ ଯୋଗୁଁ ବହେ ଶୀତଳ ପବନ, 
ଘର୍ମୁ ରକ୍ଷା ପାଏ ପ୍ରାଣୀ ଜୀବନ ।। 
ବର୍ଷିବା ପୂର୍ବରୁ ଥାଉ ତୁହି ଶାନ୍ତ, 
 କେଇ ଘଣ୍ଟା ପରେ ତୋ'ର ହୁଏ ଅନ୍ତ ।। 
ସେ କେଇ ଘଣ୍ଟାରେ କରୁ ଆର୍ତ୍ତନାଦ, 
 କେହି ନାହିଁ କରିବାକୁ ତୋ' ପ୍ରତିବାଦ ।। 
ବିଜୁଳି ସାଙ୍ଗକୁ ଘଡ଼ଘଡ଼ି ଦେଉ, 
 ଇତର ପ୍ରାଣୀଙ୍କୁ ଭୟ ତୁ ଦେଖାଉ ।। 
ନିମିଷକ ମଧ୍ୟେ ଧୂଳି ଝଡ଼ ଦେଇ, 
 ମହୀ ଅନ୍ଧାର କରେ କଳା ମେଘ ଛାଇ ।। 
ଚତୁଃର୍ଦ୍ଦିଗ ଅନ୍ଧାର ବତାସର ଶବ୍ଦ, 
 ଦେଖି ପ୍ରାଣୀଙ୍କର ମନ ହୁଏ କ୍ଷୁବ୍ଧ ।। 
ମେଦିନୀ କମ୍ପଇ ତୋ ଝଡ଼ ବତାସେ, 
 ବସନ୍ତି ମାନବ ହୋଇ ହାତସେ ।। 
ଟୁପ-ଟାପ ଝମ ଝମ ବର୍ଷା ଝରେ, 
 ବିଜୁଳି ନଭକୁ ଆଲୋକିତ କରେ ।। 
ବଜ୍ରପାତ ତୋ'ର ଦାନ୍ତ ରଗଡ଼ାଏ, 
 ଉଚ୍ଚ ସ୍ଥାନକୁ ସେ ତ ଭଲ ପାଏ ।। 
ତେଣୁ ବଜ୍ରାଘାତ ହୁଏ ଉଚ୍ଚ ସ୍ଥାନେ, 
 ହଇରାଣ ହୁଅନ୍ତି ମହାଦ୍ରୁମ ମାନେ ।। 
ମେଞ୍ଚାଏ ବଜ୍ରକୁ ଅଳପ ବର୍ଷା, 
 ଜଗ ଶାନ୍ତ କରୁ ରେ ବୈଶାଖୀ ବର୍ଷା ।। 
ଚାଳୁ ବର୍ଷାପଣି ଯାଉଅଛି ଝରି, 
 ମନରେ ଉଠେ ସ୍ବପ୍ନ ଅସୁମାରୀ ।। 
ଆନନ୍ଦ ଦିଏ ପାଣିର ଫୋଟକା, 
 ବଜ୍ରାଘାତ ଦିଏ ମନରେ ଝଟକା ।। 
ମହୀ ମଣ୍ଡଳକୁ ଥଣ୍ଡା କରିଦେଇ, 
 ଶାନ୍ତିରେ ନିଶ୍ୱାସ ମାରୁ ତୁହି ।। 
ଯଦି ହେଲା ନଭେ ମେଘ ଥଣ୍ଡା, 
 ଖସାଉ ଥାଉ ତୁ କରକା ଅଣ୍ଡା ।। 
କରକାପାତରେ ଚାଷୀର ମନ, 
 ଦୁକୁ ଦୁକୁ ହୋଇ କରେ କ୍ରନ୍ଦନ ।। 
ତୋ' କରକାପାତେ ଚାଷ ନଷ୍ଟ, 
 କରିଦେଇଯାଉ ସବୁ ଅନିଷ୍ଟ ।। 
ପିଲାଏ ତାହାକୁ ରୌପ୍ୟ ରତ୍ନ ଭାବି, 
 ଗୋଟାଇ ନିଅନ୍ତି ତାକୁ ଠାବି ।। 
କରକାପାତରେ ସମ୍ପୂର୍ଣ୍ଣ ଇଲାକା, 
 ଲାଗେ ସତେ ସେ ତୁଷାର ପରିକା ।। 
ସମ୍ପୂର୍ଣ୍ଣ ସ୍ଥାନଟି ଦିଶୁଥାଏ ଧଳା, 
 କିଏ ଫିଙ୍ଗିଲା ଏମନ୍ତ ଗୋଳା? 
 ବର୍ଷା ଅନ୍ତେ ବାଳ- ବାଳା, 
 ଗୋଟାନ୍ତି ସବୁ ସେ ଧଳା ଗୋଳା ।। 
ବୁଢ଼ାବୁଢ଼ୀ ମାନେ ଦୌଡ଼ି ଆସି, 
 ଚଡକେ କେ ମଲା କହେ ସେ ବସି ।।
 ପୁଲକିତ ହୁଏ ପ୍ରାଣୀ ଜୀବନ, 
 ଯେବେ ଘଟେ ତୋ'ର ଅବସାନ ।। 
ସମଗ୍ର ସଂସାର ଶାନ୍ତ, ଶୀତଳ, 
 ପୂରି ରହିଥାଏ ଚାରିଆଡ଼େ ଜଳ ।।
Jhadeswar khanda

Post a Comment

0 Comments